ଭୁବନେଶ୍ୱର: September 27ର ସେହି କାଳରାତ୍ରି… ଚାରିଆଡେ କେବଳ ଚିତ୍କାର, କାନ୍ଦବୋବାଳି ଆଉ ଆଖି ପିଛୁଳାକେ 41 ଜଣଙ୍କ ଜୀବନ ଦୀପ ଲିଭିଯିବା। ସେହି ଭୟଙ୍କର ଘଟଣା ଏବେ ତାମିଲ ସୁପରଷ୍ଟାର ତଥା ନେତା ବିଜୟ (Vijay)ଙ୍କ ପିଛା ଛାଡୁନି। କରୁର (Karur)ରେ ଘଟିଥିବା ସେହି ହୃଦୟବିଦାରକ ଷ୍ଟାମ୍ପେଡ୍ ଘଟଣାରେ ଏବେ ଆକ୍ସନ୍ ମୋଡ୍କୁ ଆସିଛି CBI। ତାମିଲନାଡୁ ରାଜନୀତିରେ ଏଣ୍ଟ୍ରି ମାରିଥିବା ‘ଥାଲାପତି’ ବିଜୟଙ୍କ ପାଇଁ ଏବେ ଅଡୁଆ ବଢିଯାଇଛି।
CBIର କଡା ନିର୍ଦ୍ଦେଶ : ଜାନୁଆରୀ 12ରେ ହାଜର ହୁଅ CBI ଏବେ ଟିଭିକେ (TVK) ମୁଖ୍ୟ ବିଜୟଙ୍କୁ ସମନ୍ ଜାରି କରିଛି। ଆସନ୍ତା ଜାନୁଆରୀ 12 ତାରିଖ ଦିନ ତାଙ୍କୁ ଜେରା ପାଇଁ ହାଜର ହେବାକୁ ନୋଟିସ୍ ଦିଆଯାଇଛି। କେବଳ ସାଧାରଣ ପଚରାଉଚରା ନୁହେଁ, ସେଦିନ ରାଲିରେ କ’ଣ ହୋଇଥିଲା, କେମିତି ଏତେ ବଡ଼ ଅଘଟଣ ଘଟିଲା, ସେନେଇ CBI ଅଫିସରମାନେ ବିଜୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିବେ। ପୂର୍ବରୁ ପାର୍ଟିର ଅନ୍ୟ ବଡ଼ ନେତାମାନଙ୍କୁ CBI ଜେରା କରିସାରିଛି, କିନ୍ତୁ ଏଥର ଖୋଦ୍ ପାର୍ଟି ସୁପ୍ରିମୋଙ୍କ ପାଳି।
ସେଦିନ କ’ଣ ଘଟିଥିଲା? ମନେ ପକାନ୍ତୁ ଗତବର୍ଷ September 27 ତାରିଖ। କରୁର ଜିଲ୍ଲାରେ ବିଜୟଙ୍କ ପାର୍ଟି ତରଫରୁ ଏକ ବିରାଟ ରାଲିର ଆୟୋଜନ ହୋଇଥିଲା। କିନ୍ତୁ ମ୍ୟାନେଜମେଣ୍ଟ ଫେଲ୍ ମାରିଥିଲା। ପ୍ରବଳ ଭିଡ଼ ଆଉ ଠେଲାପେଲା ଭିତରେ ଶ୍ୱାସରୁଦ୍ଧ ହୋଇ 41 ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଅଭିଯୋଗ ହୋଇଥିଲା ଯେ, ଭେନ୍ୟୁରେ କ୍ଷମତାଠାରୁ ଅଧିକ ଲୋକ ଜମା ହୋଇଥିଲେ ଏବଂ ସେଫ୍ଟି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା।
ସୁପ୍ରିମକୋର୍ଟଙ୍କ ନଜର ଏହି ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା। ଘଟଣାର ଗୁରୁତ୍ୱକୁ ଦେଖି ସୁପ୍ରିମକୋର୍ଟ ଏହାର ତଦନ୍ତ ଭାର CBI ହାତକୁ ଟେକି ଦେଇଥିଲେ। କୋର୍ଟଙ୍କ କଡା ନଜର ତଳେ ଏବେ ତଦନ୍ତ ଚାଲିଛି। CBI ଟିମ୍ ଅଲରେଡି ଘଟଣାସ୍ଥଳ ବା ସ୍ପଟ୍ ଭିଜିଟ୍ କରି ପ୍ରମାଣ ଯୋଗାଡ଼ କରିସାରିଛି। ଏବେ ବିଜୟଙ୍କ ବୟାନ ରେକର୍ଡ କରାଯିବା ପରେ କେସ୍ କେଉଁ ମୋଡ଼ ନେଉଛି, ତାହା ଦେଖିବା ବାକି ରହିଲା।
ରାଜନୀତି ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ବିଜୟଙ୍କ ପାଇଁ ଏହି ଘଟଣା ଏକ ବଡ଼ ଝଟକା ହୋଇପାରେ। ଜାନୁଆରୀ 12 ତାରିଖରେ କ’ଣ ହେବ, ସେଥିପାଇଁ ସମସ୍ତଙ୍କ ନଜର ଏବେ CBI ଅଫିସ୍ ଉପରେ।




