ମୁମ୍ବାଇ: ବଲିଉଡର ଚାକଚକ୍ୟ ଭରା ଦୁନିଆରେ ଏବେ ଟ୍ୟାଲେଣ୍ଟ ଅପେକ୍ଷା ଟଙ୍କାର ବୋଲ୍ବାଲା ଅଧିକ। ଯେଉଁଠି ସିନେମା ରିଲିଜ୍ ହେବା ଆଗରୁ ‘ହିଟ୍’ ବୋଲି ଢୋଲ ପିଟାଯାଉଛି, ସେଠାରେ ଅସଲ କାମ କୁଆଡ଼େ ହଜିଯାଇଛି। ଏହି ମିଛ ଦୁନିଆ ଏବଂ ପବ୍ଲିସିଟିର ପାଗଳାମିକୁ ନେଇ ଏବେ ମୁହଁ ଖୋଲିଛନ୍ତି ବଲିଉଡର ସବୁଠୁ ପାୱାରଫୁଲ୍ ନିର୍ଦ୍ଦେଶକ ତଥା ପ୍ରଡ୍ୟୁସର କରଣ ଜୋହର। ଇଣ୍ଡଷ୍ଟ୍ରିରେ ଚାଲିଥିବା ‘ପେଡ୍ ପିଆର’ (Paid PR) କଲ୍ଚରକୁ ସେ କଡ଼ା ସମାଲୋଚନା କରିବା ସହ ସମସ୍ତଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି।
କରଣ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଶେୟାର କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ସିଧାସିଧା କହିଛନ୍ତି, “ନିଜର ଆଚିଭମେଣ୍ଟକୁ ନିଜେ କହିବାକୁ ଦିଅନ୍ତୁ, ଏହାକୁ ଟଙ୍କା ଦେଇ କିଣନ୍ତୁ ନାହିଁ।” କରଣଙ୍କ କହିବା କଥା ହେଉଛି, ଆଜିକାଲି ଅନେକ ଆକ୍ଟର ଏବଂ ଫିଲ୍ମମେକର ନିଜକୁ ବଡ଼ ଦେଖାଇବା ପାଇଁ ପିଆର ଏଜେନ୍ସିଙ୍କୁ କୋଟି କୋଟି ଟଙ୍କା ଦେଉଛନ୍ତି। ଏହି ଏଜେନ୍ସିମାନେ ମିଛ ରିଭ୍ୟୁ (Review) ଏବଂ ବକ୍ସ ଅଫିସ୍ ଡାଟା ଦେଖାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।
ରିପୋର୍ଟ ମୁତାବକ, ବଲିଉଡରେ ଏବେ ମାର୍କେଟିଂ ନାଁରେ କେବଳ ମିଛ ପ୍ରଚାର ଚାଲିଛି। କରଣଙ୍କ ମତରେ, ଯଦି ଆପଣଙ୍କ କାମରେ ଦମ୍ ଅଛି, ତେବେ ତାହା ନିଜେ ବୋଲିବ। ଏଥିପାଇଁ କୌଣସି ପେଡ୍ କ୍ୟାମ୍ପେନର ଆବଶ୍ୟକତା ନାହିଁ। କରଣଙ୍କ ଏହି ପୋଷ୍ଟ ପରେ ଏବେ ପୁରା ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ଜଣେ ବଡ଼ ପ୍ରଡ୍ୟୁସର ହୋଇ ମଧ୍ୟ ସେ ଯେଉଁଭଳି ଭାବେ ନିଜ ଇଣ୍ଡଷ୍ଟ୍ରିର ଭୁଲ୍କୁ ଧରାଇଛନ୍ତି, ତାହାକୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।
ବଲିଉଡରେ ଏହି ‘ପେଡ୍ ପିଆର’ ଗେମ୍ ବହୁ ପୁରୁଣା। କିନ୍ତୁ ପ୍ରଥମ ଥର ପାଇଁ କରଣଙ୍କ ଭଳି ଜଣେ ‘ଇନସାଇଡର’ ଏହି ମୁଖା ଖୋଲିଛନ୍ତି। ଏବେ ଦେଖିବାକୁ ବାକି ରହିଲା, କରଣଙ୍କ ଏହି ଝାଡ଼ପା ସୂଚନା ପରେ ବଲିଉଡର ଷ୍ଟାରମାନେ ନିଜର ଷ୍ଟ୍ରାଟେଜି ବଦଳାଉଛନ୍ତି କି ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ, କାମର ସଫଳତା ସ୍ପଟ୍ଲାଇଟ୍ରେ ନୁହେଁ ବରଂ ଲୋକଙ୍କ ହୃଦୟରେ ରହିବା ଦରକାର।




