ମୁମ୍ବାଇ: ଗ୍ଲାମର ଚମକ ପଛରେ ଏତେ ଅସନା? ଯେଉଁ ‘ବିଗ୍ ବସ୍’ ଘରକୁ ଯିବା ପାଇଁ ସେଲିବ୍ରିଟିମାନେ ପାଗଳ, ସେଠି ଏବେ ନର୍କର ପରିବେଶ। ବାହାରକୁ ଝଲମଲ ଦିଶୁଥିବା ଏହି ରିଆଲିଟି ଶୋ’ର ଅସଲ ଗୁମର ଫିଟାଇଛନ୍ତି ଜଣେ ପୁରୁଣା ପ୍ରତିଯୋଗୀ। ‘ବିଗ୍ ବସ୍ ମରାଠୀ 6’ର ସେଟ୍ରେ ଯାହା ସବୁ ଘଟୁଛି, ତାହା ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ।
ଅଭିନେତ୍ରୀ ସୋନାଲି ରାଉତ ଶୋ’ର ‘ମେକର୍ସ’ଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୋନାଲି କହିଛନ୍ତି ଯେ, ବିଗ୍ ବସ୍ ଘର ଭିତରେ ରହିବା ଏବେ ପ୍ରତିଯୋଗୀଙ୍କ ପାଇଁ ବିପଜ୍ଜନକ ହୋଇପଡ଼ିଛି। ଘରର ‘ହାଇଜିନ୍’ କଥା ନକହିବା ଭଲ। ପ୍ରତିଯୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରେ ଅସରପା ବାହାରୁଛି। ଖାଲି ସେତିକି ନୁହେଁ, ଘରର ବିଭିନ୍ନ କୋଣରେ ଏବଂ ବିଛଣା ପାଖରେ ମଲା ମୂଷା ପଡ଼ି ରହୁଥିବା ସେ ଅଭିଯୋଗ କରିଛନ୍ତି।
ସୋନାଲିଙ୍କ କହିବା ଅନୁସାରେ, ଶୋ’ର ‘କ୍ରିଉ ମେମ୍ବର’ମାନେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ବାଥରୁମ୍ ଅତି ଅପରିଷ୍କାର ଅବସ୍ଥାରେ ରହୁଛି, ଯାହା ଫଳରେ ସଂକ୍ରମଣ ବଢ଼ିବାର ଭୟ ରହିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥିବା ଏହି ବିଳାସପୂର୍ଣ୍ଣ ଘର ଏବେ ‘ଡଷ୍ଟବିନ୍’ ପାଲଟି ଯାଇଛି।
ଏହି ଖବର ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ମେକର୍ସଙ୍କୁ ଖୁବ୍ ଗାଳି କରୁଛନ୍ତି। ଜଣେ ନାମୀ କଳାକାରଙ୍କ ସ୍ଵାସ୍ଥ୍ୟ ସହ ଏଭଳି ଖେଳ ଖେଳିବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି। ତେବେ ଏହି ଅଭିଯୋଗ ଉପରେ ବିଗ୍ ବସ୍ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।




