ମୁମ୍ବାଇ: ବଲିଉଡରେ କେବଳ ଷ୍ଟାର ନୁହନ୍ତି, ବରଂ ସେମାନଙ୍କ ପଛରେ ଥିବା ଲୋକଙ୍କ ଲାଇଫ୍ଷ୍ଟାଇଲ୍ ମଧ୍ୟ ଏବେ ସମସ୍ତଙ୍କୁ ଚକିତ କରୁଛି। କିଙ୍ଗ ଖାନ୍ ଶାହରୁଖଙ୍କ ସବୁ କଥା ବୁଝୁଥିବା ତାଙ୍କ ଲୋକପ୍ରିୟ ମ୍ୟାନେଜର ପୂଜା ଦଦଲାନି ଏବେ ପୁଣି ଥରେ ହେଡଲାଇନ୍ରେ। ମୁମ୍ବାଇର ପସ ଏରିଆରେ ସେ ଏକାଥରକେ ୩ଟା ଆପାର୍ଟମେଣ୍ଟ କିଣି ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି।
ପୂଜା ଦଦଲାନି ମୁମ୍ବାଇର ଖାର୍ ଓ୍ବେଷ୍ଟ (Khar West) ଅଞ୍ଚଳରେ ଥିବା ‘The Prime’ ବିଲ୍ଡିଂରେ ଏହି ନୂଆ ଘର କିଣିଛନ୍ତି। ଏହି ୩ଟା ଯାକ ଆପାର୍ଟମେଣ୍ଟର ଦାମ୍ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ। ମୋଟ ୩୮.୩୩ କୋଟି ଟଙ୍କା ଖର୍ଚ୍ଚ କରି ପୂଜା ନିଜ ପାଇଁ ଏହି ଲକଜୁରି ଠିକଣା ବାଛିଛନ୍ତି। କେବଳ ରେଜିଷ୍ଟ୍ରେସନ ପାଇଁ ସେ ପାଖାପାଖି ୨.୩ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଏହି ପ୍ରୋପର୍ଟି ଡିଲ୍ଟି ଗତ ଅକ୍ଟୋବର ମାସରେ ଫାଇନାଲ୍ ହୋଇଥିଲା। ବଲିଉଡର ସବୁଠୁ ପାୱାରଫୁଲ୍ ମ୍ୟାନେଜର ଭାବେ ପୂଜାଙ୍କର ବଡ଼ ନାଁ ଅଛି। ଏହା ପୂର୍ବରୁ ମଧ୍ୟ ସେ ଏକ ସୁନ୍ଦର ଘର କିଣିଥିଲେ, ଯାହାର ଇଣ୍ଟେରିୟର ଡିଜାଇନ ନିଜେ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ କରିଥିଲେ।
ଶାହରୁଖଙ୍କ ସହ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି କାମ କରୁଥିବା ପୂଜା କେବଳ ମ୍ୟାନେଜର ନୁହଁନ୍ତି, ବରଂ ଖାନ ପରିବାରର ଜଣେ ସଦସ୍ୟ ଭଳି। ଆଉ ଏବେ ଏହି ବଡ଼ ଇନଭେଷ୍ଟମେଣ୍ଟ ପରେ ପୁରା ବି-ଟାଉନ୍ରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ପୂଜାଙ୍କର ଏହି ନୂଆ ଆପାର୍ଟମେଣ୍ଟର ଲୁକ୍ କେମିତି ହେବ, ସେଥିପାଇଁ ଫ୍ୟାନ୍ସ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।




