ମୁମ୍ବାଇ: ୟେରୱାଡା ଜେଲର ସେହି ଚାରି କାନ୍ଥ। ଚାରିଆଡ଼େ କଏଦୀଙ୍କ ଗହଳି। କିନ୍ତୁ ସେହି ଅନ୍ଧାର କୋଠରୀରେ ବି ଜଣେ ସୁପରଷ୍ଟାରଙ୍କ କ୍ରେଜ୍ କମ୍ ହୋଇନଥିଲା। ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ଏବେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ସୁପରହିଟ୍ ମୁଭି ‘ଖଳନାୟକ’ର ସିକ୍ୱେଲ୍ ନିର୍ମାଣ କରିବାର ଆଇଡିଆ ତାଙ୍କ ମୁଣ୍ଡକୁ କୌଣସି ଫାଇଭ୍ ଷ୍ଟାର୍ ହୋଟେଲ୍ କିମ୍ବା ଏସି ରୁମ୍ରେ ନୁହେଁ, ବରଂ ଜେଲରେ ଥିବା ବେଳେ ଆସିଥିଲା।
ସଞ୍ଜୁ ବାବାଙ୍କ କହିବା ଅନୁଯାୟୀ, ଜେଲରେ ଥିବା ସମୟରେ ପାଖାପାଖି 4,000 ଜଣ କଏଦୀ ତାଙ୍କୁ ଏହି ଫିଲ୍ମର ଦ୍ୱିତୀୟ ଭାଗ ବିଷୟରେ ପଚାରିଥିଲେ। ସେମାନଙ୍କ ଉତ୍ସାହ ଏତେ ଥିଲା ଯେ, ସମସ୍ତେ ଏକାସ୍ୱରରେ କହିଥିଲେ— ‘ବାବା, ପରଦାକୁ ପୁଣିଥରେ ବଲ୍ଲୁ ବଳରାମକୁ ଫେରାଇ ଆଣନ୍ତୁ, ଆମେ ସମସ୍ତେ ଏହି ମୁଭି ଦେଖିବୁ’। ଏହି ଗ୍ୟାରେଣ୍ଟି ଶୁଣିବା ପରେ ସଞ୍ଜୟ ଦତ୍ତ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେଇଠୁ ହିଁ ଆରମ୍ଭ ହୋଇଥିଲା ‘ଖଳନାୟକ-2’ର ପ୍ଲାନ୍।
ସଞ୍ଜୟ ଦତ୍ତଙ୍କ ମତରେ, ‘ଖଳନାୟକ’ର ସେହି କ୍ୟାରେକ୍ଟର ଆଜି ବି ଲୋକଙ୍କ ମନରେ ଜୀବିତ ଅଛି। ଏବେ ସେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ସହ ମିଶି ଏହି ମେଗା ପ୍ରୋଜେକ୍ଟ ଉପରେ କାମ କରିବାକୁ ବହୁତ ଏକ୍ସାଇଟେଡ୍ ଅଛନ୍ତି। ବଲ୍ଲୁ ବଳରାମର ସେହି ଦାଢ଼ିଆ ଚେହେରା, ସ୍ୱାଗ୍ ଏବଂ ଦମଦାର୍ ଡାଇଲଗ୍ ପୁଣିଥରେ ଫ୍ୟାନ୍ସଙ୍କୁ ପାଗଳ କରିବ ବୋଲି ଚର୍ଚ୍ଚା ହେଉଛି। ଖୁବଶୀଘ୍ର ଏହି ଫିଲ୍ମର ଅଫିସିଆଲ୍ ଆନାଉନ୍ସମେଣ୍ଟ ହୋଇପାରେ ବୋଲି ସୂଚନା ମିଳିଛି।




