ମଦୁରାଇ: ନିର୍ବାଚନ ତାରିଖ ପାଖେଇଲେ କଡ଼ା ହୁଏ ଚେକିଂ । ରାଜନେତା ହୁଅନ୍ତୁ କି ସୁପରଷ୍ଟାର୍, ସଭିଙ୍କ ଉପରେ ରହେ ଫ୍ଲାଇଙ୍ଗ ସ୍କ୍ୱାଡ୍ର ଆଖି । ଠିକ୍ ଏମିତି କିଛି ଘଟିଛି ତାମିଲ ସୁପରଷ୍ଟାର୍ ତଥା TVK ଚିଫ୍ ବିଜୟଙ୍କ ସହ । ମଦୁରାଇ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ପୁରା ତଲାସି ନେଇଛନ୍ତି ଅଧିକାରୀ ।
ସୂଚନା ମୁତାବକ, ବିଜୟ ନିଜ କାର୍ରେ ମଦୁରାଇ ଦେଇ ଯାଉଥିବା ବେଳେ ଏକ ଚେକ୍ପୋଷ୍ଟ ପାଖରେ ତାଙ୍କୁ ରୋକାଯାଇଥିଲା । ଇଲେକ୍ସନ ଫ୍ଲାଇଙ୍ଗ ସ୍କ୍ୱାଡ୍ ସେଠାରେ ପ୍ରତିଟି ଗାଡ଼ିକୁ ଯାଞ୍ଚ କରୁଥିଲେ । ବିଜୟଙ୍କ ଗାଡ଼ି ପହଞ୍ଚିବା ମାତ୍ରେ ଅଧିକାରୀମାନେ ତାଙ୍କୁ ଅଟକିବାକୁ ସିଗନାଲ ଦେଇଥିଲେ । କୌଣସି ଆପତ୍ତିଜନକ ଜିନିଷ ବା କ୍ୟାଶ୍ ନେଇ ଯାଉଛନ୍ତି କି ନାହିଁ, ତାହା ଚେକ୍ କରିବା ପାଇଁ ଅଧିକାରୀମାନେ ଗାଡ଼ି ଭିତର ପୁରା ଖାନତଲାସ କରିଥିଲେ ।
ବିଜୟ ମଧ୍ୟ ଜଣେ ସଚେତନ ନାଗରିକ ପରି ଟିମ୍କୁ ପୁରା ସହଯୋଗ କରିଥିଲେ । ଗାଡ଼ିର ସବୁ ବ୍ୟାଗ୍ ଏବଂ କୋଣ ଅନୁକୋଣକୁ ଅଧିକାରୀମାନେ ଯାଞ୍ଚ କରିଥିଲେ । ତେବେ ଖୋଳତାଡ଼ ପରେ ତାଙ୍କ ଗାଡ଼ିରୁ କିଛି ବି ବେଆଇନ ଜିନିଷ ମିଳିନଥିଲା । ସବୁ କ୍ଲିୟର ହେବା ପରେ ଅଧିକାରୀମାନେ ତାଙ୍କୁ ଯିବାକୁ ଅନୁମତି ଦେଇଥିଲେ ।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ନିର୍ବାଚନ ସମୟରେ ନିୟମ ସମସ୍ତଙ୍କ ପାଇଁ ସମାନ, ଏହି ବାର୍ତ୍ତା ଏବେ ସାରା ତାମିଲନାଡୁରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ବିଜୟ ନିଜର ନୂଆ ପଲିଟିକାଲ ପାର୍ଟି TVK ଗଠନ କରିଥିବାରୁ ଏହି ଘଟଣାକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି ।



