ମୁମ୍ବାଇ: ମଞ୍ଚରେ ଜଳୁଛି ରଙ୍ଗୀନ ଲାଇଟ୍, ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ଆଉ ହାର୍ଟବିଟ୍ ବଢ଼ାଇଲା ଭଳି ସେହି ମୁହୂର୍ତ୍ତ। ଠିକ୍ ସେତିକି ବେଳେ ହୋଷ୍ଟ ରିତେଶ ଦେଶମୁଖ ଘୋଷଣା କଲେ ବିଗ୍ ବସ୍ ମରାଠୀ ସିଜିନ୍ 6ର ‘ୱିନର’ଙ୍କ ନାଁ। ସବୁ ଚର୍ଚ୍ଚାର ଅନ୍ତ ଘଟାଇ ତନ୍ଭୀ କୋଲତେ ହାତେଇଛନ୍ତି ଚଳିତ ସିଜିନର ଚମକଦାର ଟ୍ରଫି। ଏହା ସହିତ ସେ ବିଗ୍ ବସ୍ ମରାଠୀ ଇତିହାସରେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି।
ସୋସିଆଲ ମିଡିଆରେ ଏବେ କେବଳ ତନ୍ଭୀଙ୍କ ନାଁକୁ ନେଇ ଚର୍ଚ୍ଚା। ସେ ହେଉଛନ୍ତି ବିଗ୍ ବସ୍ ମରାଠୀ ଇତିହାସର ‘ଫାଷ୍ଟ ଫିମେଲ୍ ୱିନର’। ଏହି ଗ୍ରାଣ୍ଡ ଫିନାଲେରେ ସେ ଅନ୍ୟ ସବୁ କଣ୍ଟେଷ୍ଟାଣ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି। ପୂରା ସିଜିନରେ ତାଙ୍କର ଷ୍ଟ୍ରାଟେଜି ଏବଂ ଖେଳ ଦର୍ଶକଙ୍କ ମନ ଜିଣିଥିଲା, ଯାହାର ଫଳ ସ୍ୱରୂପ ତାଙ୍କୁ ମିଳିଛି ଏହି ବଡ଼ ସଫଳତା।
ତେବେ ତନ୍ଭୀ ଖାଲି ଟ୍ରଫି ଜିତିନାହାନ୍ତି, ବରଂ ତାଙ୍କ ଉପରେ ହୋଇଛି ଟଙ୍କାର ବର୍ଷା। ତାଙ୍କୁ 14.6 ଲକ୍ଷ ଟଙ୍କାର ‘କ୍ୟାଶ୍ ପ୍ରାଇଜ୍’ ମିଳିଛି। ପ୍ରଥମେ ପ୍ରାଇଜ୍ ମନି 25 ଲକ୍ଷ ଟଙ୍କା ଥିଲା, କିନ୍ତୁ ବିଭିନ୍ନ ‘ଟାସ୍କ’ ସମୟରେ ଏହି ରାଶି କମି ଯାଇଥିଲା। କ୍ୟାଶ୍ ବ୍ୟତୀତ ତନ୍ଭୀଙ୍କୁ 2 ଲକ୍ଷ ଟଙ୍କାର ଜୁଏଲାରୀ ଭାଉଚର୍ ଏବଂ 5 ଲକ୍ଷ ଟଙ୍କାର ଫର୍ନିଚର୍ ଭାଉଚର୍ ମଧ୍ୟ ଗିଫ୍ଟ ଆକାରରେ ମିଳିଛି।
ୱିନର ହେବା ପରେ ତନ୍ଭୀ ନିଜର ଖୁସି ଜାହିର କରିଛନ୍ତି। ଏହି ଜୟ କେବଳ ତାଙ୍କର ନୁହେଁ, ବରଂ ତାଙ୍କୁ ସପୋର୍ଟ କରିଥିବା ସବୁ ଫ୍ୟାନ୍ସମାନଙ୍କର ବୋଲି ସେ କହିଛନ୍ତି। ଏବେ ତନ୍ଭୀଙ୍କ ପାଖକୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ସିଜିନ୍ ଟିଭି ରେଟିଂରେ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।




