ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଲାଇଟ୍, କ୍ୟାମେରା ଆଉ ଗ୍ଲାମରର ଜମଜମାଟ ମାହୋଲ ଭିତରେ ଶେଷ ହୋଇଛି ‘ବିଗ୍ ବସ୍ ମରାଠୀ’ ସିଜନ 6। ଗ୍ରାଣ୍ଡ ଫିନାଲେରେ କିଏ ଜିତିବ ସେ ନେଇ ଚାଲିଥିବା ସସପେନ୍ସ ଉପରୁ ଏବେ ପରଦା ହଟିଛି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ତନ୍ଭୀ କୋଲତେ ଚଳିତ ସିଜନର ୱିନର ଟ୍ରଫି ନିଜ ନାଁରେ କରିଛନ୍ତି।
ରିତେଶ ଦେଶମୁଖଙ୍କ ଦମଦାର ହୋଷ୍ଟିଂରେ ଚାଲିଥିବା ଏହି ଶୋ’ରେ ତନ୍ଭୀ ଏକ ନୂଆ ଇତିହାସ ରଚିଛନ୍ତି। ସେ ହେଉଛନ୍ତି ବିଗ୍ ବସ୍ ମରାଠୀ ଇତିହାସର ପ୍ରଥମ ମହିଳା ୱିନର। ଶେଷ ମୁହୂର୍ତ୍ତରେ ଫେମସ ସିଙ୍ଗର ଅଭିଜିତ ସାୱନ୍ତ ଏବଂ ତନ୍ଭୀଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଲୋକପ୍ରିୟତା ମାମଲାରେ ଅଭିଜିତଙ୍କୁ ପଛରେ ପକାଇ ତନ୍ଭୀ ବାଜି ମାରି ନେଇଛନ୍ତି।
କେତେ ମିଳିଲା ପ୍ରାଇଜ୍ ମନି? ୱିନର ହେବା ପରେ ତନ୍ଭୀଙ୍କ ଉପରେ ଏବେ ଧନ ବର୍ଷା ହୋଇଛି। ପୁରସ୍କାର ରାଶି କଥା କହିଲେ, ତନ୍ଭୀଙ୍କୁ 14.6 ଲକ୍ଷ ଟଙ୍କାର କ୍ୟାଶ୍ ପ୍ରାଇଜ୍ ମିଳିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଶୋ’ ଆରମ୍ଭରୁ ପ୍ରାଇଜ୍ ମନି 25 ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। କିନ୍ତୁ ଘର ଭିତରେ ହୋଇଥିବା ବିଭିନ୍ନ ଟାସ୍କ ଏବଂ କିଛି କାରଣ ପାଇଁ ଏହି ରାଶି କମି କମି 14.6 ଲକ୍ଷରେ ପହଞ୍ଚିଥିଲା।
ଟଙ୍କା ସହ ମିଳିଲା ମାଲାମାଲ ଅଫର: ଖାଲି କ୍ୟାଶ୍ ଟଙ୍କା ନୁହେଁ, ତନ୍ଭୀଙ୍କୁ ଏକ ଦାମୀ ଜୁଏଲାରୀ ଭାଉଚର ମଧ୍ୟ ଉପହାରରେ ଦିଆଯାଇଛି। ପୁଙ୍ଗଲିୟା ଜୁଏଲର୍ସ ପକ୍ଷରୁ ତାଙ୍କୁ 10 ଲକ୍ଷ ଟଙ୍କାର ଏକ ଭାଉଚର ମିଳିଛି। ଏହା ସହିତ ଏକ ଚକ୍ଚକ୍ କରୁଥିବା ସୁନ୍ଦର ଟ୍ରଫି ମଧ୍ୟ ସେ ନିଜ ସାଙ୍ଗରେ ଘରକୁ ନେଇଛନ୍ତି।
ସୋସିଆଲ ମିଡିଆରେ ଏବେ ତନ୍ଭୀଙ୍କୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ତାଙ୍କ ଫ୍ୟାନମାନେ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି। ଅନ୍ୟପଟେ ଫାଷ୍ଟ ରନର୍ସଅପ୍ ହୋଇ ଅଭିଜିତ ସାୱନ୍ତଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତନ୍ଭୀଙ୍କ ଏହି ସଫଳତା ପ୍ରମାଣ କରିଦେଇଛି ଯେ, ଧୈର୍ଯ୍ୟ ଏବଂ ସଠିକ୍ ଗେମ୍ ପ୍ଲାନିଂ ଥିଲେ ବିଗ୍ ବସ୍ ଭଳି କଠିନ ଶୋ’ ଜିତିବା ସମ୍ଭବ।




