ନୋଏଡା: ରାସ୍ତାରେ ହଜାର ହଜାର ଶ୍ରମିକଙ୍କ ନାରାବାଜି, ପୁଲିସ୍ ସହ ଧସ୍ତାଧସ୍ତି ଆଉ ଚାରିଆଡ଼େ କେବଳ ଅସନ୍ତୋଷର ନିଆଁ। କିଛି ଦିନ ହେବ ନୋଏଡା ଓ ଗ୍ରେଟର ନୋଏଡାର ଶିଳ୍ପାଞ୍ଚଳରେ ଯେଉଁ ଟେନସନ ଲାଗି ରହିଥିଲା, ତାହା ଏବେ ଶାନ୍ତ ପଡ଼ିଛି। ନିଜ ଜିଦ୍ରେ ଅଟଳ ରହିଥିବା ଶ୍ରମିକମାନେ ଶେଷରେ ବିଜୟୀ ହୋଇଛନ୍ତି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଶ୍ରମିକମାନଙ୍କ ମିନିମମ୍ ୱେଜ୍ (Minimum Wage) ବା ସର୍ବନିମ୍ନ ମଜୁରୀକୁ ସରକାର 21% ବଢ଼ାଇ ଦେଇଛନ୍ତି। ଶ୍ରମିକଙ୍କ ଜୋରଦାର ପ୍ରୋଟେଷ୍ଟ (Protest) ଆଗରେ ମୁଣ୍ଡ ନୁଆଁଇ ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
ସରକାରଙ୍କ ନୂଆ ନିୟମ ଅନୁସାରେ, ଏବେ ସ୍କିଲ୍ଡ ୱାର୍କର (Skilled Workers) ବା ଦକ୍ଷ ଶ୍ରମିକମାନଙ୍କୁ ମାସକୁ ପ୍ରାୟ 20,000 ଟଙ୍କା ଦରମା ମିଳିବ। ପୂର୍ବରୁ ଦରମା ବୃଦ୍ଧିକୁ ନେଇ କମ୍ପାନୀ ଓ ଶ୍ରମିକଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଆକାଶଛୁଆଁ ମହଙ୍ଗା ମାଡ଼ରେ ପୁରୁଣା ଦରମାରେ ଘର ଚଳାଇବା ସମ୍ଭବ ହେଉନଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ।
ଏହି ବଡ଼ ହାଇକ୍ (Hike) ପରେ ଶ୍ରମିକ ସଂଗଠନଗୁଡ଼ିକ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଯୋଗୀ ସରକାରଙ୍କ ଏହି ମାଷ୍ଟରଷ୍ଟ୍ରୋକ୍ (Masterstroke) ଶ୍ରମିକଙ୍କ ଅସନ୍ତୋଷକୁ ଥଣ୍ଡା କରିବାରେ ସଫଳ ହୋଇଛି। ଏହି ନିଷ୍ପତ୍ତି ପରେ ଏବେ ଶ୍ରମିକମାନେ ପୁଣି ଧୀରେ ଧୀରେ କାମକୁ ଫେରୁଥିବା ସୂଚନା ମିଳିଛି।




