ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣର ସେହି କାଳରାତିକୁ ମନେ ପକାଇଲେ ଆଜି ବି ଛାତି ଥରିଉଠେ। ଆତଙ୍କବାଦୀଙ୍କ ସେହି କାପୁରୁଷ ପଣିଆରେ ଅନେକ ନିରୀହ ଜୀବନ ଯାଇଥିଲା, ହସଖୁସିର ସଂସାର ଉଜୁଡ଼ି ଯାଇଥିଲା। ଆଜି ସେହି ଭୟଙ୍କର ଘଟଣାର ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପୁଣି ଥରେ ନିଜର ‘ଷ୍ଟ୍ରଙ୍ଗ୍’ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ମୋଦି କହିଛନ୍ତି ଯେ, ଭାରତ କେବେ ବି ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆତଙ୍କବାଦୀମାନେ ଯେତେ ବି ଚେଷ୍ଟା କରନ୍ତୁ, ଭାରତର ଶାନ୍ତି ଓ ଅଖଣ୍ଡତାକୁ ସେମାନେ ‘ଟାର୍ଗେଟ୍’ କରିପାରିବେନି। ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଥିବା ସେହି ସାହସୀ ବୀର ଓ ନିରୀହ ଲୋକଙ୍କ ବଳିଦାନକୁ ଦେଶ କେବେ ବି ଭୁଲିବ ନାହିଁ ବୋଲି ସେ କହିଛନ୍ତି।
ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭାବପୂର୍ଣ୍ଣ ‘ପୋଷ୍ଟ’ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଆମେ ଆତଙ୍କବାଦ ବିରୋଧରେ ଆମର ଲଢ଼େଇ ଜାରି ରଖିବୁ।” ସେ ସ୍ପଷ୍ଟ କରିଛନ୍ତି ଯେ, ଶାନ୍ତି ଓ ପ୍ରଗତି ପାଇଁ ଆତଙ୍କବାଦ ସବୁଠାରୁ ବଡ଼ ବାଧକ। ଏହାକୁ ମୂଳପୋଛ କରିବା ପାଇଁ ଭାରତ ସରକାର ସବୁବେଳେ ‘ରେଡି’ ଅଛନ୍ତି। ସୁରକ୍ଷା ବାହିନୀର ସାହସକୁ ସେ ପ୍ରଶଂସା କରିବା ସହ ଆତଙ୍କବାଦ ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇବା କଥା ଦୋହରାଇଛନ୍ତି।
ପୁରା ଦୁନିଆକୁ ଭାରତ ଏହି ‘ମେସେଜ୍’ ଦେଇଛି ଯେ, ଯେଉଁମାନେ ହିଂସା ଖେଳାଇବାକୁ ଚେଷ୍ଟା କରିବେ, ସେମାନଙ୍କୁ କଡ଼ା ଜବାବ ମିଳିବ। ସୁରକ୍ଷା ବାହିନୀ ସବୁବେଳେ ସଜାଗ ଅଛନ୍ତି ଏବଂ ଦେଶର ସୀମା ସୁରକ୍ଷିତ ରହିବ। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ‘ଟେରର ଗ୍ରୁପ୍’ ଗୁଡ଼ିକ ମଧ୍ୟରେ ଛନକା ପଶିଛି।




