ମୁମ୍ବାଇ: ବଲିଉଡର ‘ନମ୍ବର 1’ ହିରୋ ଗୋବିନ୍ଦାଙ୍କ ଡ୍ୟାନ୍ସ ଆଉ କମେଡିରେ ଦିନେ ପୂରା ଦେଶ ପାଗଳ ଥିଲା। କିନ୍ତୁ ଏହି ସୁପରଷ୍ଟାରଙ୍କ ଘର ଭିତରର କାହାଣୀ କିନ୍ତୁ ଟିକେ ଅଲଗା। ସବୁବେଳେ ହସୁଥିବା ଗୋବିନ୍ଦା ଜଣେ ସ୍ୱାମୀ ଭାବରେ କେମିତି, ସେ ନେଇ ଏବେ ଏକ ବଡ଼ ବୟାନ ଦେଇଛନ୍ତି ତାଙ୍କ ପତ୍ନୀ ସୁନୀତା ଆହୁଜା। ସୁନୀତାଙ୍କ କଥା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ।
ସୁନୀତା ଆଉ ଗୋବିନ୍ଦାଙ୍କ ବାହାଘରକୁ ପାଖାପାଖି 40 ବର୍ଷ ହୋଇଗଲାଣି। ଏତେ ଦିନର ସମ୍ପର୍କ ପରେ ସୁନୀତା ଗୋଟିଏ ପୋଡକାଷ୍ଟ (Podcast) ଇଣ୍ଟରଭ୍ୟୁରେ ନିଜ ମନର କଥା ଖୋଲି କହିଛନ୍ତି। ସେ କହିଛନ୍ତି କି, “ମୁଁ ଭଗବାନଙ୍କୁ ସବୁବେଳେ କହେ, ଯଦି ପରଜନ୍ମରେ ମତେ ପୁଅଟିଏ ଦିଅନ୍ତି, ତେବେ ସେ ଗୋବିନ୍ଦାଙ୍କ ଭଳି ହେଉ। କିନ୍ତୁ ସ୍ୱାମୀ ଭାବରେ ମତେ ଗୋବିନ୍ଦାଙ୍କ ଭଳି ଲୋକ ଜମା ବି ଦରକାର ନାହିଁ।”
ଏମିତି କହିବାର କାରଣ ବି ବେଶ୍ ମଜାଦାର। ସୁନୀତାଙ୍କ କହିବା କଥା ହେଲା, ଗୋବିନ୍ଦା ଜଣେ ଆଦର୍ଶ ପୁଅ। ସେ ତାଙ୍କ ମା’ଙ୍କୁ ବହୁତ ଶ୍ରଦ୍ଧା କରନ୍ତି ଆଉ ପୂରା ପରିବାରର ଧ୍ୟାନ ରଖନ୍ତି। ହେଲେ ସ୍ୱାମୀ ଭାବରେ ତାଙ୍କୁ ହ୍ୟାଣ୍ଡେଲ କରିବା ଏତେ ସହଜ ନୁହେଁ। ଗୋବିନ୍ଦା ବହୁତ ସେନ୍ସିଟିଭ୍ (Sensitive) ଆଉ ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଲୋକ। ଘରର ସବୁ ବଡ଼ ନିଷ୍ପତ୍ତି, ଟଙ୍କା ପଇସା ହିସାବଠୁ ଆରମ୍ଭ କରି ପିଲାଙ୍କ ଦାୟିତ୍ୱ ପର୍ଯ୍ୟନ୍ତ ସବୁ କିଛି ସୁନୀତାଙ୍କୁ ହିଁ ସମ୍ଭାଳିବାକୁ ପଡ଼େ।
ସୂଚନାଯୋଗ୍ୟ ଯେ, 1987 ରେ ଦୁହେଁ ଚୁପଚାପ୍ ବାହା ହୋଇଥିଲେ। ଗୋବିନ୍ଦାଙ୍କ କ୍ୟାରିୟର ସେତେବେଳେ ଟପ୍ରେ ଥିଲା, ତେଣୁ ବହୁତ ଦିନ ପର୍ଯ୍ୟନ୍ତ ସେ ନିଜ ବାହାଘର କଥା ଲୁଚାଇ ରଖିଥିଲେ। ଆଜି ବି ଗୋବିନ୍ଦାଙ୍କ ଲାଇଫର ସବୁଠୁ ବଡ଼ ସପୋର୍ଟ ସିଷ୍ଟମ (Support System) ହେଉଛନ୍ତି ସୁନୀତା। ହେଲେ ସୁନୀତାଙ୍କ ଏହି ସ୍ପଷ୍ଟବାଦୀ କଥା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।




