ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ହଲ୍ ଏବେ ଛୋଟ ପଡ଼ିବ। ପଲିଟିକାଲ୍ କରିଡରରେ ଏବେ ଏମିତି ଏକ ଚର୍ଚ୍ଚା ଜୋର୍ ଧରିଛି, ଯାହା ଶୁଣିଲେ ବଡ଼ ବଡ଼ ପୁରୁଖା ନେତାଙ୍କ ମୁଣ୍ଡ ବି ଘୁରିଯିବ। କାରଣ ଖୁବଶୀଘ୍ର ବଦଳିଯିବ ଆମ ରାଜ୍ୟର ପଲିଟିକାଲ୍ ଚେହେରା। ଆସନ୍ତା ଦିନରେ ଓଡ଼ିଶାରେ ବିଧାନସଭା ଓ ଲୋକସଭା ସିଟ୍ ସଂଖ୍ୟା ବଢ଼ିବାକୁ ଯାଉଛି, ଯାହାକୁ ନେଇ ଏବେଠାରୁ ଅଙ୍କ କଷା ଆରମ୍ଭ ହେଲାଣି।
ରିପୋର୍ଟ ଅନୁସାରେ, ଆଗକୁ ହେବାକୁ ଥିବା ‘ଡିଲିମିଟେସନ୍’ ବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଓଡ଼ିଶାରେ ବିଧାନସଭା ସିଟ୍ ସଂଖ୍ୟା 147 ରୁ ବଢ଼ି 221 ହୋଇପାରେ। ଅର୍ଥାତ୍ ରାଜ୍ୟରେ ଆଉ 74 ଜଣ ନୂଆ ବିଧାୟକଙ୍କ ପାଇଁ ସିଟ୍ ତିଆରି ହେବ। କେବଳ ବିଧାନସଭା ନୁହେଁ, ଲୋକସଭା ସିଟ୍ ସଂଖ୍ୟା ବି 21 ରୁ ବଢ଼ି 32 ହେବାର ଚାନ୍ସ ଅଛି। ମୋଟାମୋଟି ଭାବେ ଓଡ଼ିଶାରୁ ଆଉ 11 ଜଣ ଅଧିକ ଏମପି ଦିଲ୍ଲୀ ଦରବାରକୁ ଯିବେ।
ଏହି ପ୍ଲାନ୍ ପଛରେ ରହିଛି ପପୁଲେସନ୍ ବା ଜନସଂଖ୍ୟାର ଗଣିତ। ନୂଆ ଜନଗଣନା ବା ‘ସେନସସ୍’ ପରେ ଯେତେବେଳେ ସୀମା ନିର୍ଦ୍ଧାରଣ ହେବ, ସେତେବେଳେ ଜନସଂଖ୍ୟା ଆଧାରରେ ସିଟ୍ ସଂଖ୍ୟା ବଢ଼ାଯିବ। ଯଦି ଏମିତି ହୁଏ, ତେବେ ଓଡ଼ିଶାର ପଲିଟିକାଲ୍ ମ୍ୟାପ୍ ସମ୍ପୂର୍ଣ୍ଣ ବଦଳିଯିବ। ଅନେକ ପୁରୁଣା କନ୍ଷ୍ଟିଚ୍ୟୁଏନ୍ସି ଭାଙ୍ଗି ଦୁଇଭାଗ ହୋଇପାରେ କିମ୍ବା ନୂଆ ଏରିଆ ସାମିଲ ହୋଇପାରେ।
ଏହି ଖବର ଆସିବା ପରେ ନେତାଙ୍କ ଭିତରେ ଏବେଠାରୁ ଛନକା ପଶିଲାଣି। କାହାର ଗଡ଼ ରହିବ ତ କାହାର ଏରିଆ ଅନ୍ୟ ସହ ମିଶିଯିବ, ସେ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁ ଜିଲ୍ଲାରେ ପପୁଲେସନ୍ ଅଧିକ ଅଛି, ସେଠାରେ ସିଟ୍ ସଂଖ୍ୟା ବଢ଼ିବା ନିଶ୍ଚିତ। ଏହି ନୂଆ ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ପଲିଟିକାଲ୍ ପାୱାର୍ ବି ବଢ଼ିବ। ଦିଲ୍ଲୀରେ ଓଡ଼ିଶାର ସ୍ୱର ଆହୁରି ଶାଣିତ ହେବ। ଏବେ କେବଳ ଅପେକ୍ଷା ‘ସେନସସ୍’ କେବେ ହେଉଛି ଏବଂ କେଉଁ ଆଧାରରେ ଏହି ନୂଆ ସିଟ୍ ଭାଗ ହେଉଛି।




